ଆମିଷପ୍ରିୟ ବ୍ରତ

କଥାଟା ଭାରି ସାଧାରଣ । ଆଜିକାଲିକା ଝିଅମାନଙ୍କର ମନରେ ଯେତିକି ପୂଜାପାଠ, ଭକ୍ତିଭାବ ଥାଏ, ସେତିକି ସେମାନେ ଖାଦ୍ୟ ପ୍ରତି ବି ଆକୃଷ୍ଠ ଥା’ନ୍ତି । ଏମିତି ହିଁ ଏକ ଛୋଟ ଘଟଣା ଆଜି ସକାଳୁ ସକାଳୁ ମୋ ନଜରକୁ ଆସିଲା । କିନ୍ତୁ ଏଇଟା ଖୁବ ଅସାଧାରଣ ଓ କଉତୁକିଆ । ସକାଳୁ ମର୍ନିଂ ୱାକ୍ ରୁ ଫେରିଲାବେଳେ ଆମ ପଡ଼ିଶାଘର ପାଖରେ ପହଞ୍ଚିଥାଏ ଜଣେ ମାଛବିକାଳୀ । କିଛି ସମୟପରେ ଜଣେ ବୟସ୍କ ସ୍ତ୍ରୀ ଜଣକ ବାହାରକୁ ଆସି ତାକୁ କହିଲେ, ‘ଶୁଣୁ ଆଉ ୫ଦିନ ଯାଉ, ତା’ ପରେ ଆସିବୁ ...’ ।

‘ଆହୁରି ୫ଦିନ? କି’ ବ୍ରତ କରୁଛକି ହେ ମା’? ଏତେ ଦିନ ହେଲାଣି ମାଛ କିଣୁନ କି’ପାଇଁ? ବିନା ଆଇଁଷରେ କିମିତି ବା’ ବାବୁଙ୍କ ଭାତ ଗଳୁଛି?’
‘କଣ କହିବି ଲୋ ରୁନି... ଯେବେଠୁ ନୂଆବୋହୂ ଆସିଛି, ଗୋଟେ ପରେ ଗୋଟେ ବ୍ରତ କରି ଚାଲିଛି... ଏବେ ପୁଅର ହାତରେ କ’ଣ ଗୋଟେ ସୁତାଟେ ବାନ୍ଧିଛି... ୨୧ ଦିନ ପର୍ଯ୍ୟନ୍ତ ଆଇଁଷ ଖାଇବାକୁ ମନା । ବିଚରା ପୁଅଟା... ଦିନେ ଆଇଁଷ ନଥିଲେ ଚଳୁନଥିଲା । ଏବେ ପନ୍ଦର ଦିନ ହେଲାଣି ଖାଲି ଘିଅ ଭାତ ସଂତୁଳା ଖାଉଛି... ।‘
‘ସତେ କି ଗୋ!’
‘ହଁ ପରା... ପିଲାବେଳେ ମାଛ ପାଇଁ ମୋ ସହ, ବଡ ବାବୁ ସହ, ମୋ ଭୁଆସୁଣୀ ଝିଅଟା ସହ ବି ଝଗଡ଼ା କରୁଥିଲା... । ଏବେ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି... । ଆଜିକାଲିର ମାଇପିଲା ଗୁଡ଼ା, କେବେଠୁ ପୂଜାପାଠ ଆରମ୍ଭ କଲେଣି ବୁଝି ହେଉନି... । ପାଠଶାଠ ପଢି ଏ ବୟସରେ ଚାକିରି ନକରି ବୁଢୀମାନଙ୍କ ପରି ବ୍ରତ କଲେ କ’ଣ ମିଳିବ କେଜାଣି? ଦିଣ୍ଡା ବୟସରେ ଏମିତି ଉପବାସ କଲେ ପେଟ ପୋଡିଯିବନି! ପିଲାଛୁଆ କିମିତି ହେବ ଯେ? କହିଲେ କହୁଛି, ଫ୍ୟାମିଲି ପ୍ଲାନିଂ ଚାଲିଛି... ଆର ବର୍ଷ ଯାଇ ପିଲା କରିବି...।
‘ଏ କି କଥା ବା’? ଏ ବୟସରେ ପିଲାପିଲି ନ କରି ଦିହ କାହିଁକି ଖରାପ କରୁଛି ?’

‘ହଁ ପରା, କେତେ କହିଲେ ଶୁଣୁଛି? ତୁ ତ ଜାଣିଛୁ ମୁଁ ବି କେତେ ପୂଜାପାଠ, ବ୍ରତ ଓପାଷ କରିଥିଲି ଏ ବଡ ପାଇଁ... ମୁଁ ବି ଆଇଁଷ ନଥିଲେ ଚଳି ପାରୁନଥିଲି, ହେଲେ ବି ୨ବର୍ଷ ବ୍ରତ କରିଥିଲି... ହେଲେ କ’ଣ ହେବ? ବିଭା ହେଇ ସେ ତା’ ବାଟରେ... ଆଉ ଘରର ନା’ ଗନ୍ଧ ଧରୁନି...। ସାନବୋହୁଟା ଭାରି ଭଲ, ହେଲେ ଏତେ ବ୍ରତ କଲେ କି ଭଲ! ଆମର ଭଳି ଆମିଷପ୍ରିୟ ଲୋକ କ’ଣ ଚଳିପାରିବେ?... ହଉ ଯା... ଘରେ କେତେ କାମ ଅଛି....॥ 

No comments:

Post a Comment