ସ ରୁ ସାହିତ୍ୟ... ସ ରୁ ସମ୍ପର୍କ.... ସାହିତ୍ୟରୁ ବଢୁ
ସମ୍ପର୍କ... ସମ୍ପର୍କରୁ ବଢୁ ସାହିତ୍ୟ...!!
ସତରେ ଏହି ବାକ୍ୟରେ ଯେତିକି ସତ୍ୟତା ମୁଁ ଅନୁଭବ କରିଛି ତାହା ଅବ୍ୟକ୍ତ। ସାହିତ୍ୟର ନିଶା ସଭିଙ୍କୁ ଏପରି ଲାଗିଛି, କହିଲେ ଶେଷ ହେବନାହିଁ । ସମ୍ପର୍କ ତ ବଢିଛି, ସାହିତ୍ୟ ବଢିଛି କି ନା ଜାଣି ହେଉନାହିଁ, କି ଜାଣିଲେ କହି ହେଉନାହିଁ । ଏଇ ଏକବର୍ଷ ଭିତରେ ମୋତେ ଓଡ଼ିଆ ସାହିତ୍ୟର ୧୫ଟିରୁ ଅଧିକ ଫେସବୁକ ଓ ୧୦ରୁ ଊର୍ଦ୍ଧ୍ଵ
ୱ୍ହାଟ୍ସଆପ ଗ୍ରୁପରେ ଯୋଡ଼ି ହେବାର ସୁଯୋଗ ମିଳିଛି । ଏମିତିରେ ତ ସବୁ ଗ୍ରୁପରେ
ନିତିଦିନ କିଛି ନା କିଛି ଲେଖା ପଢିବାକୁ ମିଳେ; କିନ୍ତୁ ଦୁଃଖର ବିଷୟ ସେସବୁ କେତେ ଦୂର ଓଡ଼ିଆ ସାହିତ୍ୟର ବିକାଶରେ ସହାୟ ଜାଣିହୁଏନା । ପ୍ରତିଦିନ ଗୋଟିଏ ଗୋଟିଏ କବିତା କିମ୍ବା କ୍ଷୁଦ୍ର ଗଳ୍ପଟିଏ ଲେଖି ଇଣ୍ଟେର୍ନେଟରେ
ଛାଡ଼ିଦେବା ଓ ସେଥିରୁ ଓଡ଼ିଆର ଦିଗ ନିର୍ଣ୍ଣୟ କରାଯିବା ଯେଉଁମାନେ ଭାବନ୍ତି... ତାଙ୍କ ପାଇଁ ମୁଁ
ନିରୁତ୍ତର ।
ସତ କହିବାକୁ ଗଲେ ମୁଁ କୌଣସି
ପତ୍ରପତ୍ରିକା କି ଖବରକାଗଜକୁ ଲେଖା ପଠାଏନି କି ପଠାଇବା ପାଇଁ ଇଚ୍ଛୁକ ନୁହଁ । କାରଣ ସେଇ ପ୍ରତିଷ୍ଠିତ ଖବରକାଗଜର ବିଶିଷ୍ଟ ଲେଖକ ଓ ସମ୍ପାଦକମାନେ ନିଶ୍ଚୟ ଜାଣିଥିବେ ଯେ
ତାଙ୍କର ଖବରକାଗଜରେ ଖବର କମ୍, ବିଜ୍ଞାପନ ଅଧିକ ବାହାରୁଥାଏ । ଯେଉଁ ଖବରକାଗଜର ମୂଲ୍ୟ ପାଞ୍ଚଟଙ୍କା, ଆଉ ସେଥିରେ କୋଡିଏରୁ ପନ୍ଦର ପୃଷ୍ଠା
କେବଳ ବିଜ୍ଞାପନ ହିଁ ବିଜ୍ଞାପନ; ସେପରି ଦୈନିକ ଖବରକାଗଜ ପଢି ଆମ ରାଜ୍ୟର ନାଗରିକମାନେ କଣ ବା’ ଉପକୃତ ହେବେ, କୁହନ୍ତୁ!
ଏମିତି ନିତି ଭାଷଣ ମାରୁଥିବା କିଛି ବ୍ୟକ୍ତିଙ୍କ ସହ ମୁଁ ସମ୍ପର୍କରେ ଆସିଛି, ଯେଉଁମାନେ କୁହନ୍ତି, ଆଜ୍ଞା ମୋ ଲେଖାଟି ବାହାରିଲେ ଟିକେ
ପିଡ଼ିଏଫ ଫାଇଲ କରି ପଠେଇଦେବେ, ନଚେତ୍ ଫୋଟ ଉଠେଇ ୱ୍ହାଟ୍ସଆପରେ ଛାଡିଦେବେ । ମୁଁ ଆଶ୍ଚର୍ଯ୍ୟ! ବିଗତବର୍ଷ
ଗଞ୍ଜାମର କବିତାଘର ବାର୍ଷିକ ଉତ୍ସବରେ ଏକ ଘଟଣା ମୋ ନଜରକୁ ଆସିଥିଲା । ଜଣେ ପ୍ରସିଦ୍ଧ ଓ ବରିଷ୍ଠ
ସାହିତ୍ୟିକ ସକାଳ ନ’ଟାରୁ ଆସି ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ, ଶେଷରେ ନିଜର କବିତାପାଠ ସାରି ଗଲାବେଳେ
ମୋତେ କହିଲେ ‘ଆଜ୍ଞା ମୋ କବିତାଟା କେଉଁ ପୃଷ୍ଠାରେ
ବାହାରିଛି ଟିକେ ଦେଖେଇବେ କି? ଫୋଟଟିକେ ଉଠେଇଥାନ୍ତି ମୋବାଇଲରେ । ଶହେ ଟଙ୍କା ଦେଇ କିଏ
କିଣିବ କୁହନ୍ତୁ!’ ଆପଣ କୁହନ୍ତୁ, ଏପରି କିଛି ସାହିତ୍ୟିକଙ୍କୁ ନେଇ କ’ଣ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଚିନ୍ତା
କରିହେବ? ଉନ୍ନତି ତ ଦୂରର କଥା ।
ସାହିତ୍ୟର
ମହତ୍ତ୍ଵ ଓ ମର୍ଯ୍ୟାଦା ବିଷୟରେ ମୁଁ କିଛି ଅଧିକ କହିବିନି । ଯେଉଁମାନେ ନିତି ଫେସବୁକରେ ଆଠଶହରୁ ହଜାରେ ଟିପ୍ପଣୀ (କମେଣ୍ଟ) କୌଣସି ଲେଖାପ୍ରତି
ପାଉଥିବେ ବା ଦେଖିଥିବେ ସେମାନେ ବୁଝିପାରୁଥିବେ ସାହିତ୍ୟର ଶାଳୀନତା ଓ ମର୍ଯ୍ୟାଦା କିପରି ବଜାୟ
ରହିଛି । ଏ ସବୁକୁ ଦୃଷ୍ଟିରେ ରଖି ଆପଣମାନେ ନିଶ୍ଚୟ କରନ୍ତୁ ଆମ ଓଡ଼ିଆ
ସାହିତ୍ୟକୁ ଆଜିର ଏ ଆଧୁନିକରଣ ଓ ଶିଥିଳ କୌଶଳର ପରିପାଟିରୁ କିପରି ପୁନଃରୁଦ୍ଧାର କରାଯିବ ଯଦ୍ୱାରା ଏହି
ଗଞ୍ଜାମର କବିତାଘର ଭଳି ଯେତେ ଅନେକ ସାହିତ୍ୟାନୁଷ୍ଠାନ ଗୁଡ଼ିକ ବଞ୍ଚି ରହିବା ସଙ୍ଗେ ସଙ୍ଗେ ଏ
ଜାତିର, ଏ ମାଟିର ଆଉ ଏ ଭାଷାର ବିକାଶ ହେବ ।
ଗଞ୍ଜାମର କବିତାଘର ସାହିତ୍ୟ
ମୁଖପତ୍ର - ୨୦୧୭ ବର୍ଷର ‘ଭାଗୀରଥୀ କବିତାର ଗଙ୍ଗା’ର ସମ୍ପାଦନା ଦାୟିତ୍ଵ ମୋତେ ଦେଇଥିବାରୁ ମୁଁ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଡଃ
ରାଜେନ୍ଦ୍ର କୁମାର ବେହେରା ଓ ସମ୍ପାଦକ ଶ୍ରୀ ଭାଗିରଥୀ ବେହେରାଙ୍କୁ ଧନ୍ୟବାଦ ଜଣାଉଛି । ଏହି ବର୍ଷର ଏକ ନିଆରା ପ୍ରୟାଶ ଯାହା ସମସ୍ତଙ୍କୁ ଜ୍ଞାତ । ଜୀବନ, ଯୌବନ, ହୃଦୟ, ସମ୍ପର୍କ ଓ ଋତୁ ବିଷୟରେ ଯେଉଁ କବିତାମାନ ଆମେ ଗ୍ରହଣ କରିଛୁ ସେଥିରୁ ଆମର ନିର୍ଣ୍ଣାୟକ
ମଣ୍ଡଳୀ ଶ୍ରେଷ୍ଠ କୋଡ଼ିଏ ଜଣ ବାଛିଛନ୍ତି, ଦଶଜଣ ଓଡିଶାରୁ ଏବଂ ଦଶଜଣ ଗଞ୍ଜାମରୁ । ସେଥିରୁ ପୁଣି ଶ୍ରେଷ୍ଠ
ଭାବେ ବିବେଚିତ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ କବି ଶ୍ରୀ ଦେବେନ୍ଦ୍ର ବାଉରୀ ଏବଂ ଗଞ୍ଜାମ ପାଇଁ
ଶ୍ରୀ ଅମିତାଭ ସାହୁ । ସେମାନକୁ ମୁଁ ଗଞ୍ଜାମର କବିତାଘର ତରଫରୁ ସାଧୁବାଦ ଓ ଅଭିନନ୍ଦନ ଜଣାଉଛି ।
ମା ଦଶଭୁଜା ଆପଣ ଓ ଆପଣମାନଙ୍କ ସପରିବାରର ଏହି ବର୍ଷଟି ସାଫଲ୍ୟମଣ୍ଡିତ କରାନ୍ତୁ । ବନ୍ଦେ ଉତ୍କଳ ଜନନୀ!
ମା ଦଶଭୁଜା ଆପଣ ଓ ଆପଣମାନଙ୍କ ସପରିବାରର ଏହି ବର୍ଷଟି ସାଫଲ୍ୟମଣ୍ଡିତ କରାନ୍ତୁ । ବନ୍ଦେ ଉତ୍କଳ ଜନନୀ!