ପାର୍ଥକ୍ୟ

ସେତେବେଳେ ଇଣ୍ଟରନେଟର ନୂଆ ନୂଆ ଆରମ୍ଭ। ମୁଁ ମୋ ସ୍କୁଲ୍ ସମୟରୁ ହିଁ ବାବାଙ୍କ କମ୍ପ୍ୟୁଟରରୁ ବହୁତ କିଛି ଶିଖିଥିଲି । ଏବେ ଇଣ୍ଟର୍ନେଟ ସହିତ ମୋବାଇଲର ବି ବ୍ୟବହାର ଆରମ୍ଭ ହୋଇଛି । ସେହି ସମୟରେ ଏକ ଅଜଣା,  କୌତୁକିଆ ସ୍ଵପ୍ନ ମୋ ମନରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଦେଇ ଚାଲିଗଲା,  ଯାହା କି ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲି  ଓ ମୋ ପ୍ରଥମ ପ୍ରେମର ଏକ କୌତୁହଳପୂର୍ଣ୍ଣ ବିଚ୍ଛେଦ ହୋଇଥିଲା। କଥାଟା ଏପରି, ମୋ ପ୍ରିୟ ସାଙ୍ଗ ରଶ୍ମୀର ମାଉସୀପୁଅ ଭାଇ, ଯିଏକି ମୋତେ ଫେସବୁକରେ ଫ୍ରେଣ୍ଡ ରିକ୍ଵେଷ୍ଟ୍ ପଠେଇଥିଲେ । ମୁଁ ମୋ ପ୍ରୋଫାଇଲ୍ ଫୋଟରେ ଏକ ସୁନ୍ଦର ଫୁଲ ଚିତ୍ରଟିଏ ରଖିଥାଏ । ଫେସବୁକରେ ରଶ୍ମୀର ଫେମିଲି ଲିଷ୍ଟରୁ ଦେଖି ମୁଁ ତାଙ୍କୁ ଏକ୍ସେପ୍ଟ କରିଥିଲି । ସେ ବି ମୋତେ ରଶ୍ମୀର ଭଲ ସାଙ୍ଗ ବୋଲି ଜାଣି ପାରିଲେ  ଓ ଧିରେ ଧିରେ ଫେସବୁକ ଚାଟିଙ୍ଗରୁ ଫୋନରେ କଥାବାର୍ତ୍ତା ଚାଲିଲା । ଏମିତିକି ସେ ପାଗଳଙ୍କ ପରି ରାତିରାତି ଗପିବାରେ ଲାଗିଲେ । ମୁଁ ବି ତାଙ୍କର କଥାରେ ନିଶାସକ୍ତ ହୋଇଯାଇଥାଏ । ପ୍ରତିଟି ମୂହୁର୍ତ୍ତରେ ତାଙ୍କରି କଥା ହିଁ ଭାବୁଥାଏ । ମୋବାଇଲଟା ଯେପରି ମୋ ଶରୀରର ଏକ ଅଙ୍ଗ ସଦୃଶ  - ଶୋଇବା, ଖାଇବା, ଉଠିବା-ବସିବା, ଗାଧୋଇବା... ସବୁବେଳେ ମୋ ସହ ଅଠାପରି ଲାଗିରହିଥାଏ ।

ମୁଁ ବି ତାକୁ ଛାଡିପାରୁନଥାଏ । ଆମର  ଗପିବା ଓ ଚାଟିଙ୍ଗ ଏତେ ପରିମାଣରେ ବଢିଯାଇଥିଲା ଯେ ରଶ୍ମୀବି ଦିନେ ସନ୍ଦେହ କରି ପଚାରିଥିଲା; ଓ ପରେ ସେ ଜାଣି କହିଥିଲା, ଭାଇ ବହୁତ ଭଲ ପିଲା ଓ ଖୁବ ହାଣ୍ଡସମ୍ ବି । ପିଲାବେଳର କିଛି ଫୋଟୋ ବି ମୋତେ ଦେଖେଇଥିଲା ରଶ୍ମୀ; ଯୋଊଥିରେ ସେ ଖୁବ ଗୁଲୁଗାଲିଆ ଓ ସୁନ୍ଦର ଦିଶୁଥିଲେ । କିନ୍ତୁ ରଶ୍ମୀ ମନରେ କିଛି ଗୋଟାଏ ରହସ୍ୟ ଥାଏ ଯାହା ମୁଁ ଜାଣିପାରିନଥିଲି, କି ପଚାରିପାରୁ ନଥାଏ; କାଳେ ସେ ଥଟ୍ଟା କରିବ ଭାବି । ଆମର ଏପରି ଅଜଣା, ଅଦେଖା ପ୍ରେମ ପ୍ରାୟ ୪-୫ ମାସ ହୋଇଥାଏ । ମୁଁ ସେତେବେଳେ ଚାକିରିଟିଏ ଖୋଜୁଥାଏ । କଲେଜ ସରିବାପରେ ଗୋଟେ ଭଲ ଚାକିରିଟିଏ ଲାଗିଯିବ ବୋଲି ଆଶା କରୁଥିଲି, କିନ୍ତୁ ପ୍ରେମର ଏ ଝଡ଼ରେ ମୁଁ ଅବାଞ୍ଛିତ ନଡିଆଗଛଟିଏ ପରି ଦୋହଲୁଥାଏ ଏ କମ୍ପାନିରୁ ସେ କମ୍ପାନି, ଇଣ୍ଟରଭିଉ ଦେଉଥାଏ । ଖାଲି ଗୋଟେ ବାହାନା । ଦିନ ସାରା ଫୋନରେ ଗପୁଥାଉ । ସେ କିନ୍ତୁ ମୋ ପାଇଁ ସିରିୟସ୍ ଥାନ୍ତି। ଭିନ୍ନ ଭିନ୍ନ କମ୍ପାନିର  ଓ ଚାକିରି ଖୋଜା ୱେବସାଇଟରୁ ଇଣ୍ଟରଭିଉ ତାରିଖ ଓ ସ୍ଥାନ ଆଦି ମେସେଜ୍ କରିଥାନ୍ତି ।



ଏମିତି ଦିନେ ହଠାତ, ସେ ମୋତେ ସର୍ପ୍ରାଇଜ୍ ଦେବେ ବୋଲି କହିଲେ । କୋଲକାତାରୁ ୱାଇଜାଗ୍ ଯାଉଥାନ୍ତି ସେ । ହଠାତ୍ ଭୁବନେଶ୍ଵର ଷ୍ଟେସନରେ ଓହ୍ଲେଇ ମୋତେ କଲ୍ କଲେ ମିଶିବା ପାଇଁ ।  ପ୍ରକୃତରେ କହିବାକୁ ଗଲେ, ମୋ ପାଦ, ହାତ ସବୁକିଛି ଖୁସିରେ ଥଋବାରେ ଲାଗିଲା । କିଛି ବି ନିଷ୍ପତ୍ତି ନେଇପାରୁଥାଏ। ପ୍ରଥମ ଥର ପାଇଁ ମୁଁ ମୋ ପ୍ରଥମ ପ୍ରେମକୁ ଦେଖିବାକୁ ଯାଉଥାଏ । ମନରେ ଗୁଡାଏ ପ୍ରଜାପତି ଉଡୁଥାଏ । ସବୁକିଛି ବେଶ ଭଲ-ଭଲ ଲାଗୁଥାଏ । ଭୁବନେଶ୍ଵରର ୪୨ ଡ଼ିଗ୍ରୀ ଖରାର ଝାଞ୍ଜି ବି ମୋତେ ବସନ୍ତର ମଳୟ ପରି ଛୁଉଁଥାଏ । ଦୁନିଆଟା ପୁରା ରଙ୍ଗ ବେରଙ୍ଗ ଦେଖାଯାଉଥିଲା । ତଥାପି ମନରେ ଏକ ପ୍ରକାର ଭୟ ବି ଥିଲା। ତାଙ୍କୁ ଜାଣିବା ପାଇଁ, ଦେଖିବା ପାଇଁ, ଇତ୍ୟାଦି, ଇତ୍ୟାଦି । 

ମାଷ୍ଟର କେଣ୍ଟିନ୍ ପାଖରେ ଏକ ଛୋଟ ହୋଟେଲ କାଫେ ବ୍ଲୂ-ହେଭେନରେ ସେ ମୋତେ ଅପେକ୍ଷା କରିଥାନ୍ତି । ମୁଁ ଅଟୋରେ ଯାଇ ସେଠି ପହଞ୍ଚିଲି। ଏକ ଦୀର୍ଘ ପ୍ରଶ୍ଵାସ ଛାଡି ଭିତରକୁ ପ୍ରବେଶ କଲି । ଚାରିଆଡେ ଦେଖେ ତ ସବୁ ଖାଲି, ଜଣେ ବ୍ୟକ୍ତି-ସେ ହିଁ ଏକ କୋଣ ସିଟରେ ବସିଥାନ୍ତି । ଡ଼େନିମ ବ୍ରାଉନ ରଙ୍ଗର ଟି-ଶର୍ଟକୁ କଳା ରେ-ବେନ ଚଷମା ଯୋଡ଼ି ଭାରି ସୁନ୍ଦର ଦିଶୁଥାଏ । କେମିତି ମିଶିବି, କେମିତି ମିଶିବି ଭାବୁ ଭାବୁ ସେ ନିଜ ସିଟରୁ ଉଠି ମୋ ଆଡକୁ ଆଗେଇ ଆସିଲେ । ସେ ବହୁତ ଖୁସି ମନରେ ଥାନ୍ତି । ଯେମିତି ସେ ମୋ ଆଡେ ଆଗେଇ ଆଗେଇ ଆସୁଥାନ୍ତି, ମୋ ମନର ସୂର୍ଯ୍ୟ ସେପରି ଅସ୍ତ ହେଇ ହେଇ ଯାଉଥାଏ । ମୁଁ କିଛି ବି ଭାବିପାରୁନଥାଏ, କଣ କରିବି, କଣ ନାହିଁ ।  ସେ କିନ୍ତୁ ବହୁତ ଖୁସିଥାନ୍ତି ଓ ମୋ ହାତ ଧରି ଟାଣିନେଇ, ସିଟରେ ବସିବାକୁ ଅନୁରୋଧ କଲେ । ଆମର ଏ ପ୍ରଥମ ଭେଟର ଉପହାର ସ୍ୱରୂପ ସେ ଏକ କେକ୍ ଅର୍ଡର କରିଥାନ୍ତି । ଆମେ ବସୁ ବସୁ ୱେଟର୍ ସେହି କେକ୍ ଟିକୁ ଆଣି ଟେବୁଲ୍ ଉପରେ ରଖି ଆଉ କିଛି ଆଣିବା ପାଇଁ ଅର୍ଡର ଲେଖିକରି ଚାଲିଗଲା । ମୁଁ କିନ୍ତୁ ପୂରାପୂରି ସ୍ତବ୍ଧ ଓ ଚୁପଚାପ୍ ବସିଥାଏ । ସେ କଣ କଣ ସବୁ କହି ଚାଲିଥାନ୍ତି, ହସୁଥାନ୍ତି; ସବୁକିଛି ମୋ ମସ୍ତିସ୍କ ବାହାରେ ଉଡି ଚାଲିଯାଉଥାଏ । ମୁଁ କିଛି ବି ନିର୍ଣ୍ଣୟ କରି ପାରୁନଥାଏ ସେ ସମୟରେ । ଆଉ, ଭାଗ୍ୟବଶତ: ହଠାତ୍ ଏକ ଫୋନ କଲ୍ ଆସି ମୋ ମନର ବିରତିକୁ ଉଚିତ ରାସ୍ତା ଦେଲା। ଏହା ହିଁ ମୋ ପାଇଁ ସଠିକ ଉପାୟ । ଫୋନ ଉଠେଇ କଥା ହୋଇ ହୋଇ ମୁଁ ଜଲଦି ବାହାରକୁ ଆସିଗଲି ଓ ଅଟୋକରି ଘରକୁ ଚାଲିଆସିଲି । 

ମୋତେ ପ୍ରାୟତ: ଖରାପ ଲାଗିଲା ତାଙ୍କୁ ଏପରି ହଠାତ୍ କିଛି ନକହି ଛାଡି ଆସିବା ଏବଂ ଏ ଭିତରେ ତାଙ୍କର ଗୁଡାଏ କଲ୍ ବି ଆସିଯାଇଥିଲା, ଯାହା ମୁଁ ପ୍ରକୃତରେ ଜାଣିନଥିଲି ମୋବାଇଲଟି ଭେନିଟି ବ୍ୟାଗରେ ଥିବା ଯୋଗୁଁ କି ଏତେ ବଡ଼ ଧକ୍କା ଯୋଗୁଁ । ତାପରେ ଫୋନକୁ ସୁଇଚ ଅଫ କରିବା ଛଡା ମୋତେ ଆଉ କିଛି ବି ସଠିକ ଜଣାପଡୁନଥିଲା । ମନେ ମନେ ଭାବୁଥାଏ ଏତେ ବଡ କଥା ବଦ୍ମାସ୍ ରଶ୍ମୀ ବି ମୋତେ କେମିତି କହିନି! କହିଥାନ୍ତା ବି କେମିତି? ମୁଁ କଣ କେବେ ତାକୁ ପଚାରିଛି ଯେ? ମୁଁ ତ ମୋ ପ୍ରେମର ଫଲଗୁରେ ରଙ୍ଗିନ୍ ହୋଇ ମୟୂରୀ ଭଳି ନାଚୁଥିଲି । ମୁଁ କଣ ଜାଣିଥିଲି ଯେ ଆମ ଉଚ୍ଚତାର ପାର୍ଥକ୍ୟ ଦେଢ ଫୁଟ ହେବ ବୋଲି ! ହଁ, ଝିଅଟା ଛୋଟ ହେଲେ ଚଳିବ, କିନ୍ତୁ ପୁଅଟା ଯଦି ଦେଢ ଫୁଟ ଛୋଟ ହେବ ... ଆଉ କଣ ବା କହିବି? ବାଧ୍ୟ ହୋଇ କିଛି ଦିନ ଫୋନ, ଚାଟ୍ ସବୁ ବନ୍ଦ କରିଦେଲି। ମନରେ ଭୟ ଥିଲା ରଶ୍ମୀ କିଛି କହିବକି..., ସେ କିଛିଟା ଭୁଲ ଷ୍ଟେପ୍ ନେବେ ନି ତ...! ଏମିତି କିଛି କିଛି, ବହୁତ କିଛି ... କିନ୍ତୁ ସେପରି କିଛି ବି ହୋଇନାହିଁ ତା ପରଠୁ । 

No comments:

Post a Comment